ହକି

ଜାତୀୟ ହକି ପ୍ରଶିକ୍ଷଣ ଶିବିର ପାଇଁ ୩୩ ଜଣିଆ ସମ୍ଭାବ୍ୟ ପୁରୁଷ ଦଳ ଘୋଷିତ

ନୂଆଦିଲ୍ଲୀ: ବେଲଜିୟମ ଟୁର୍ ଏବଂ ଅଲିମ୍ପିକ୍ କ୍ୱାଲିଫାୟର୍ ପ୍ରସ୍ତୁତି ପାଇଁ ଆସନ୍ତା ସେପ୍ଟେମ୍ବର ୨ ତାରିଖରୁ ବେଙ୍ଗାଲୁରୁସ୍ଥ ସ୍ପୋର୍ଟ୍ସ ଅଥରିଟି ଅଫ୍ ଇଣ୍ଡିଆ (ସାଇ) ଆନୁକୂଲ୍ୟରେ ହେବାକୁଥିବା ଜାତୀୟ ପ୍ରଶିକ୍ଷଣ ଶିବିର ପାଇଁ ହକି ଇଣ୍ଡିଆ ୩୩ ଜଣିଆ ସମ୍ଭାବ୍ୟ ପୁରୁଷ ଦଳର ଘୋଷଣା କରିଛି।

ଏହି ସମ୍ଭାବ୍ୟ ଦଳରେ ଓଡ଼ିଶାର ୬ଜଣ ଖେଳାଳି ସ୍ଥାନ ପାଇଛନ୍ତି। ସେମାନେ ହେଲେ ବୀରେନ୍ଦ୍ର ଲାକ୍ରା, ଅମିତ୍ ରୋହିଦାସ, ନୀଲମ ସଞ୍ଜୀପ ଖେସ୍, ଦିପସାନ୍ ତିର୍କୀ, ଆଶିଷ କୁମାର ଟପ୍ନୋ ଓ ଶିଳାନନ୍ଦ ଲାକ୍ରା। ତିନି ସପ୍ତାହ ଧରି ଚାଲିବାକୁ ଥିବା ଏହି ଶିବିର କୋଚ୍ ଗ୍ରାହାମ୍ ରିଡଙ୍କ ଦ୍ୱାରା ଆୟୋଜିତ ହେବ।

ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ ଭାରତ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ଅଲିମ୍ପିକ୍ ଟେଷ୍ଟ ଇଭେଣ୍ଟର ଫାଇନାଲରେ ବିଜୟ ହାସଲ କରିଥିଲା। ଏହି ବିଜୟ ପରେ ଭାରତୀୟ ଖେଳାଳି ନିଜର ପ୍ରଦର୍ଶନରେ ନିରନ୍ତରତା ବଜାୟ ରଖିବାକୁ ଚାହିଁବେ। ଏ ନେଇ ରିଡ୍ କହିଛନ୍ତି, ଆମେ ଗତ କିଛି ମାସ ହେବ ଭଲ ଲୟ ହାସଲ କରିଛୁ। ଏହି ଶିବିରରେ ଭାଗ ନେବାକୁଥିବା ଖେଳାଳିମାନେ ନିଜ ନିଜର ପ୍ରଦର୍ଶନରେ ସୁଧାର କରିବାକୁ ଚାହିଁବେ।

ଏହି ଶିବିରରେ ଆମେ ଅଧିକ ସୁଯୋଗ ପ୍ରସ୍ତୁତ କରିବା ଏବଂ ଡିଫେନ୍ସରେ ସୁଧାର ଆଣିବା ଉପରେ ବିଶେଷ ଧ୍ୟାନ ଦେବୁ। ସେପ୍ଟେମ୍ବରରେ ହେବାକୁଥିବା ବେଲଜିୟମ ଗସ୍ତ ଏଫଆଇଏଚ୍ ଅଲିମ୍ପିକ୍ କ୍ୱାଲିଫାୟର୍ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ହେବ। ଆମେ ସେପ୍ଟେମ୍ବର ଶେଷଭାଗରେ ୟୁରୋପ୍ ଗସ୍ତ କରିବୁ। ସେଠାରେ ଆମେ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ପ୍ରତିଦ୍ୱନ୍ଦ୍ୱୀଙ୍କ ସହ ଟ୍ରେନିଂ କରିବୁ। ଯଦ୍ଦ୍ୱାରା ଅକ୍ଟୋବର-ନଭେମ୍ବରରେ ହେବାକୁଥିବା କ୍ୱାଲିଫାୟର୍ ପାଇଁ ଆମକୁ ସହାୟକ ହେବ ବୋଲି ରିଡ୍ କହିଛନ୍ତି।

Leave a Reply

Your email address will not be published. Required fields are marked *