ଦୁର୍ଘଟଣା

ଯମଦୂତ ପରି ମାଡ଼ିଆସିଲା ଟାଟା ମ୍ୟାଜିକ, ବାଇକ୍‌କୁ ଧକ୍କା ଦେଲା

ଭଦ୍ରକ (ପାର୍ଥସାରଥୀ ନାୟକ): ପୁଲିସ୍‌ ହେଲ୍‌ମେଟ୍‌ ଓ ଲାଇସେନ୍ସ ଚେକିଂ ଚାଲିଥିବା ବେଳେ ଯମଦୂତ ପରି ମାଡ଼ି ଆସୁଥିବା ଟାଟା ମ୍ୟାଜିକ ଏକ ବାଇକ୍‌କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି ସନ୍ଧ୍ୟା ବେଳେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଭଦ୍ରକ ଜିଲ୍ଲାରେ ଘଟିଛି।

କେନ୍ଦ୍ର ସରକାରଙ୍କ ନୂଆ ଗାଇଡ୍‌ଲାଇନ୍‌ ପରେ ଆଜି ଆଗରପଡ଼ା ବିଶଲକଣା ଛକରେ ପୁଲିସ ଲାଇସେନ୍ସ ଓ ହେଲ୍‌ମେଟ୍‌ ଚେକିଂ କରୁଥିଲା। ଏ ସମ୍ପର୍କରେ ଫରିଦ ଶାହା ଜାଣିପାରି ବାଇକ୍‌ ବୋଲାଇ ଫେରି ଆସୁଥିଲେ। ଠିକ୍‌ ଏତିକି ବେଳେ ଆଗରପଡ଼ାରୁ ଭଦ୍ରକ ଅଭିମୁଖେ ଆସୁଥିବା ଏକ ଟାଟା ମ୍ୟାଜିକ ଦ୍ରୁତ ଗତିରେ ଆସି ବାଇକ୍‌କୁ ଧକ୍କା ଦେଇଥିଲେ। ଫଳରେ ଫରିଦ ଶାହାଙ୍କ ବାଇକରେ ବସିଥିବା ତାଙ୍କ ପତ୍ନୀ ସୀତାରା ବିବିଙ୍କ ମୃତ୍ୟୁ ଘଟିଛି। ତେବେ ଫରିଦ ଓ ତାଙ୍କ ଛୁଆଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆଗରପଡ଼ା ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ ଭଦ୍ରକ ଜିଲ୍ଲା ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି।

ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। କ୍ଷତିପୂରଣ ଓ ଦୁର୍ଘଟଣା ଘଟାଇଥିବା ଗାଡ଼ି ଜବତ ଦାବିରେ ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିଛନ୍ତି। ପୁଲିସ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା ପାଇଁ ଉଦ୍ୟମ କରୁଛି।

Leave a Reply

Your email address will not be published. Required fields are marked *