କ୍ରିକେଟ୍

ୟୁଏସ୍ ଓପନ୍ କ୍ୱାର୍ଟରରେ ନାଡାଲ୍

ନ୍ୟୁୟର୍କ: ସ୍ପେନୀୟ ତାରକା ରାଫେଲ୍ ନାଡାଲ ବିଜୟଧାରା ଅବ୍ୟାହତ ରଖି ଚଳିତ ବର୍ଷରୁ ଚତୁର୍ଥ ତଥା ଅନ୍ତିମ ଗ୍ରାଣ୍ଡସ୍ଲାମ୍ ଚାମ୍ପିୟନଶିପ୍ ୟୁଏସ୍ ଓପନର କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। ବିଶ୍ୱର ଦୁଇ ନମ୍ବର ଖେଳାଳି ନାଡାଲ୍ ପୁରୁଷ ସିଙ୍ଗଲ୍ସର ଚତୁର୍ଥ ରାଉଣ୍ଡରେ କ୍ରୋଏସିଆର ମାରିନ୍ ସିଲିକଙ୍କୁ ୬-୩, ୩-୬, ୬-୧, ୬-୨ ସେଟରେ ପରାସ୍ତ କରି ଅନ୍ତିମ-୮ରେ ସ୍ଥାନ ପକ୍କା କରିଛନ୍ତି। କ୍ୱାର୍ଟରଫାଇନାଲରେ ନାଡାଲଙ୍କ ସାମ୍ନା ଆର୍ଜେଣ୍ଟିନାର ଡିଏଗୋ ଶ୍ୱାର୍ଜମ୍ୟାନଙ୍କ ସହ ହେବ, ଯିଏ ଜର୍ମାନୀର ଆଲେଜାଣ୍ଡାର ଭେରେଭଙ୍କୁ ୩-୬, ୬-୨, ୬-୪, ୬-୩ ସେଟରେ ପରାସ୍ତ କରିଥିଲେ।

ସେହିପରି ମହିଳା ସିଙ୍ଗଲ୍ସରେ ଡିଫେଣ୍ଡିଂ ଚାମ୍ପିଅନ୍ ନାଓମି ଓସାକାଙ୍କୁ ହରାଇ ସ୍ୱିଜରଲ୍ୟାଣ୍ଡର ବେଲିନ୍ଦା ବେନକିକ୍ କ୍ୱାର୍ଟରରେ ପହଞ୍ଚିଛନ୍ତି। ବେନକିକ୍ ପ୍ରି-କ୍ୱାର୍ଟର ଫାଇନାଲରେ ଜାପାନର ଓସାକାଙ୍କୁ ୭-୫, ୬-୪ ସେଟରେ ପରାସ୍ତ କରିଥିଲେ।

ଅନ୍ୟଏକ ମୁକାବିଲାରେ ୨୩ତମ ସିଡ୍ କ୍ରୋଏସିଆ ଖେଳାଳି ଡୋନା ଭେକିକ୍ ଜର୍ମାନୀର ୨୬ତମ ସିଡ୍ ଜୁଲିଆ ଜର୍ଜେସଙ୍କୁ ୬-୭, ୭-୫, ୬-୩ ସେଟରେ ହରାଇଥିବା ବେଳେ ବେଲଜିୟମର ୨୫ତମ ସିଡ୍ ଏଲିସ୍ ମର୍ଟେନ୍ସ ଆମେରିକାର ୱାଇର୍ଲ୍ଡକାର୍ଡ ପ୍ରବେଶକାରୀ କ୍ରିଷ୍ଟି ଆନଙ୍କୁ ସିଧାସଳଖ ୬-୧, ୬-୧ ସେଟରେ ଏବଂ କ୍ୟାନାଡା ୧୫ତମ ସିଡ୍ ବିୟାଙ୍କା ଆନ୍ଦ୍ରେସ୍କୁ ୬-୧, ୪-୬, ୬-୨ ସେଟରେ ଆମେରିକାର କ୍ୱାଲିଫାୟର୍ ଟେଲର ଟାଉନସେଣ୍ଡଙ୍କୁ ହରାଇ ଅନ୍ତିମ-୮ରେ ସ୍ଥାନ ପକ୍କା କରିଛନ୍ତି।

Leave a Reply

Your email address will not be published. Required fields are marked *