ଗସିପ୍ ଗଳି

‘ଗୁରୁ’ ବାଲକ୍ରିଷ୍ଣନଙ୍କୁ ସିଏମ୍‌ଓ ଦାୟିତ୍ୱ କାହିଁକି ଦେଲେ ପାଣ୍ଡିଆନ?

ଭୁବନେଶ୍ୱର : ତାମିଲନାଡ଼ୁରେ ଜନ୍ମିତ ୧୯୮୪ ବ୍ୟାଚ୍ ଅବସରପ୍ରାପ୍ତ ଆଇଏଏସ୍ ଆର. ବାଲକ୍ରିଷ୍ଣନ୍ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା ଭାବେ ଆଜି ନିଯୁକ୍ତି ପାଇଛନ୍ତି। ସେ ତତ୍କାଳ ପ୍ରଭାବରୁ ଏହି ଦାୟିତ୍ୱ ସମ୍ଭାଳିବେ। ତେବେ ଓଡ଼ିଶା ଇତିହାସରେ ବୋଧହୁଏ ପ୍ରଥମଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପରିଚାଳନା ନିମନ୍ତେ ଜଣେ ମୁଖ୍ୟ ଉପଦେଷ୍ଟାଙ୍କୁ ଅବସ୍ଥାପିତ କରାଯାଇଛି। ଯାହାକୁ ନେଇ ଏବେ ପାୱାର କରିଡରରେ ଚର୍ଚ୍ଚା।

ପ୍ରଶାସନିକ କାର୍ଯ୍ୟ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ସିଏମଓ) ସମ୍ଭାଳିବା ପାଇଁ ରାଜ୍ୟରେ ବରିଷ୍ଠ ଓ ଅଭିଜ୍ଞ ପ୍ରଶାସନିକ ଅଫିସରଙ୍କ ଅଭାବ ନଥିବାବେଳେ ବାଲକ୍ରିଷ୍ଣନଙ୍କୁ କାହିଁକି ଏଭଳି ଆନୁଷ୍ଠାନିକ ନିଯୁକ୍ତି ମିଳିଲା? ସେ ମୁଖ୍ୟ ସଚିବ ପାହ୍ୟାର ସୁବିଧାସୁଯୋଗ ସହ ୨୦୧୮ ଡିସେମ୍ବର ମାସରୁ ରାଜ୍ୟ ସରକାରଙ୍କ ମୁଖ୍ୟ ଉପଦେଷ୍ଟା ଭାବେ କାର୍ଯ୍ୟ କରୁଛନ୍ତି। ତେଣୁ ବାଲକ୍ରିଷ୍ଣନଙ୍କ ଏଭଳି ନିଯୁକ୍ତିକୁ ନେଇ ପ୍ରଶାସନିକ ଓ ରାଜନୀତିକ ମହଲରେ ଅନେକ ପ୍ରଶ୍ନ ଏବେ ଉଙ୍କି ମାରିବାରେ ଲାଗିଛି।

ଦୀର୍ଘ ଦୁଇ ଦଶନ୍ଧି ଧରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟଶୈଳୀ ସହ ଅଭ୍ୟସ୍ତ ଥିବା କିଛି ବରିଷ୍ଠ ଅଫିସର ଓ ରାଜନେତାଙ୍କ ମତରେ, ବାଲକ୍ରିଷ୍ଣନଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପରିଚାଳନା ଦାୟିତ୍ୱ ଦେବା ପଛରେ ଦୁଇଟି ମୁଖ୍ୟ କାରଣ ରହିଛି।

ପ୍ରଥମତଃ, ଦ୍ୱିତୀୟ କ୍ଷମତାକେନ୍ଦ୍ର ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ ନିଜର ଜଣେ ଅତ୍ୟନ୍ତ ବିଶ୍ୱସ୍ତ (ନିଜ ଗୁରୁ) ବ୍ୟକ୍ତି ଭାବେ ବାଲକ୍ରିଷ୍ଣନଙ୍କୁ ସିଏମଓ ଦାୟିତ୍ୱ ଦେଇ ନିଜର କାର୍ଯ୍ୟଭାରକୁ ହାଲକା କରିବାକୁ ଚାହୁଁଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତିକୁ ସଜାଡ଼ିବା ପାଇଁ ଶ୍ରୀ ପାଣ୍ଡିଆନ ଏବେ ‘ଫାଇଭ-ଟି’ ସଚିବ ଭାବେ କାର୍ଯ୍ୟ କରୁଥିବାରୁ ସମସ୍ତ ବିଭାଗର ମୁଖ୍ୟମାନେ ଏନେଇ ତାଙ୍କୁ ଆନୁଷ୍ଠାନିକ ଭାବେ ରିପୋର୍ଟ ଦେବା ଓ ଉତ୍ତରଦାୟୀ ରହିବାକୁ ବାଧ୍ୟ। ଶ୍ରୀ ପାଣ୍ଡିଆନ ଜଣେ କମିଶନର ପାହ୍ୟାର ଆଇଏଏସ୍ ଅଫିସର ହୋଇଥିବାରୁ ରାଜ୍ୟର ବରିଷ୍ଠ ପାହ୍ୟାର ଅଫିସରମାନେ ସେମାନଙ୍କର କ୍ଷମତାକୁ ଗୌଣ କରାଯାଉଥିବା ଆଶଙ୍କା କରୁଛନ୍ତି। ଯାହାକି ରାଜ୍ୟ ପ୍ରଶାସନ ପାଇଁ ଶୁଭଙ୍କର ନୁହେଁ ବୋଲି ଶ୍ରୀ ପାଣ୍ଡିଆନ ନିଜେ ଅନୁଭବ କରିସାରିଲେଣି। ତା’ଛଡ଼ା, ଦ୍ୱିତୀୟ କ୍ଷମତାକେନ୍ଦ୍ର ଭାବେ ଉଭୟ ଦଳ ଓ ସରକାରର ସବୁକଥା ଟିକିନିଖି ବୁଝୁଥିବା ଶ୍ରୀ ପାଣ୍ଡିଆନ ନିର୍ଦ୍ଦିଷ୍ଟ କୌଣସି ଗୋଟିଏ କାର୍ଯ୍ୟରେ ନିଜକୁ ସୀମିତ ରଖିଲେ ଅନ୍ୟ କାର୍ଯ୍ୟ ବାଧାପ୍ରାପ୍ତ ହେବାର ଆଶଙ୍କା ବି ରହିଛି। ତେଣୁ ୧୯୮୪ ବ୍ୟାଚର ଅବସରପ୍ରାପ୍ତ ଆଇଏଏସ୍ ବାଲକ୍ରିଷ୍ଣନଙ୍କୁ ସିଏମଓର ମୁଖ୍ୟ ଉପଦେଷ୍ଟା ଭାବେ ଥଇଥାନ କରାଇ ତାଙ୍କ ମାଧ୍ୟମରେ ‘ଫାଇଭ୍-ଟି’ କାର୍ଯ୍ୟକ୍ରମକୁ ସଂଚାଳନ କରିବା ନିମନ୍ତେ ଶ୍ରୀ ପାଣ୍ଡିଆନ ଯୋଜନା କରିଛନ୍ତି। ଶ୍ରୀ ବାଲକ୍ରିଷ୍ଣନ ବରିଷ୍ଠ ପ୍ରଶାସକ ହୋଇଥିବାରୁ ଅନ୍ୟ ଅଫିସରମାନେ ତାଙ୍କୁ ରିପୋର୍ଟ ଦେବାରେ କୁଣ୍ଠାବୋଧ କରିବେ ନାହିଁ ଓ ଗାନ୍ଧି ଜୟନ୍ତୀରୁ ପ୍ରସ୍ତାବିତ ‘ମୋ ସରକାର’ କାର୍ଯ୍ୟକ୍ରମ ମଧ୍ୟ ସହଜରେ ସମ୍ପାଦିତ ହୋଇପାରିବ।

ଦ୍ୱିତୀୟତଃ, ଦୀର୍ଘ ଦୁଇ ଦଶନ୍ଧି ଧରି ବିଜେଡି ସୁପ୍ରିମୋ ଓ ସରକାରର ମୁଖ୍ୟ ଶ୍ରୀ ପଟ୍ଟନାୟକ ବ୍ୟକ୍ତିଗତ ଛୁଟି ନେଇନାହାନ୍ତି। ରାଜନୀତିରେ ପ୍ରବେଶ ପରଠୁ ଶ୍ରୀ ପଟ୍ଟନାୟକ ନିଜର ପୁରୁଣା ବନ୍ଧୁମାନଙ୍କୁ ଭେଟିପାରିନାହାନ୍ତି। ତେଣୁ ଶ୍ରୀ ପଟ୍ଟନାୟକ ତାଙ୍କ ବଡ଼ ଭଉଣୀଙ୍କ ପରିବାର ସଦସ୍ୟ ଓ ପୁରୁଣା ବନ୍ଧୁମାନଙ୍କୁ ଭେଟିବାକୁ ଦୁଇ ସପ୍ତାହ ପାଇଁ ଆମେରିକା ଗସ୍ତରେ ଯାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ସେହି ସମୟରେ ଶ୍ରୀ ପଟ୍ଟନାୟକଙ୍କ ସହ ତାଙ୍କର ବ୍ୟକ୍ତିଗତ ସଚିବ ଶ୍ରୀ ପାଣ୍ଡିଆନ ମଧ୍ୟ ଆମେରିକା ଗସ୍ତରେ ଯାଇପାରନ୍ତି। ସେହି ସମୟରେ ଜଣେ ବରିଷ୍ଠ କ୍ୟାବିନେଟ୍ ମନ୍ତ୍ରୀ ଦାୟିତ୍ୱରେ ରହିବେ ତଥା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ରାଜ୍ୟ ପ୍ରଶାସନ ସମ୍ପୂର୍ଣ୍ଣ ଭାବେ ବାଲକ୍ରିଷ୍ଣନଙ୍କ ଦାୟିତ୍ୱରେ ରହିବ।

ଏହି ଦୁଇଟି କାରଣ ପାଇଁ ଏବେ ରାଜ୍ୟ ସରକାରଙ୍କ ଉପଦେଷ୍ଟା ଥିବା ବାଲକ୍ରିଷ୍ଣନଙ୍କୁ ସିଏମଓ ମୁଖ୍ୟ ଉପଦେଷ୍ଟା ଭାବେ ଆନୁଷ୍ଠାନିକ ନିଯୁକ୍ତି ମିଳିଥିବା ଚର୍ଚ୍ଚା।

Leave a Reply

Your email address will not be published. Required fields are marked *