ଗସିପ୍ ଗଳି

ବରିଷ୍ଠ ଆଇଏଏସ୍ ଅସିତ୍ ଓ ସୁରେଶଙ୍କ ମଧ୍ୟରେ ଛକାପଞ୍ଝା!

ଭୁବନେଶ୍ୱର : ରାଜ୍ୟର ପରବର୍ତ୍ତୀ ମୁଖ୍ୟ ସଚିବ ପଦରେ ଆସୀନ ହେବା ପାଇଁ ଏବେ ୧୯୮୬ ବ୍ୟାଚର ଦୁଇ ବରିଷ୍ଠ ଆଇଏଏସଙ୍କ ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇଥିବା କୁହାଯାଉଛି। ୧୯୮୩ ବ୍ୟାଚ୍ ଆଇଏଏସ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କୁ ଅଧିକ ଦିନ ମୁଖ୍ୟ ସଚିବ ପଦରେ ରଖିବା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ନଥିବାବେଳେ, ଅତିରିକ୍ତ ମୁଖ୍ୟ ସଚିବ ପାହ୍ୟାର ଦୁଇ ବରିଷ୍ଠ ଆଇଏଏସଙ୍କ ମଧ୍ୟରେ ଶୀତଳ ଯୁଦ୍ଧକୁ ନେଇ ପାୱାର କରିଡରରେ ଚର୍ଚ୍ଚା। ସେହିପରି ଅନ୍ୟ ଜଣେ ବରିଷ୍ଠ ଆଇଏଏସ୍ ନିତେନ ଚନ୍ଦ୍ର ମଧ୍ୟରେ ଦୁଇଦିନ ତଳେ ହୋଇଥିବା ବଦଳି ନିର୍ଦ୍ଦେଶରେ ଅସନ୍ତୁଷ୍ଟ ହୋଇ ଅନିର୍ଦ୍ଧିଷ୍ଟ କାଳ ପାଇଁ ଛୁଟିରେ ପଳାଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ୨୦୨୦ ଫେବୃୟାରୀ ମାସରେ ଅବସର ନେବାକୁ ଥିବା ବେଳେ ତାଙ୍କୁ ରାଜ୍ୟ ନିର୍ବାଚନ କମିଶନର ପଦବୀରେ ଅବସ୍ଥାପିତ କରିବା ନିମନ୍ତେ ରାଜ୍ୟ ସରକାର ଯୋଜନା କରୁଛନ୍ତି। ଯଦି ଶ୍ରୀ ପାଢ଼ୀଙ୍କୁ ଅବସର ପୂର୍ବରୁ ମୁଖ୍ୟ ସଚିବ ପଦରୁ ହଟାଯାଏ ତା’ହେଲେ ଏହି ପଦ ପାଇଁ ୧୯୮୬ ବ୍ୟାଚର ଆଇଏଏସ୍ ଅସିତ୍ କୁମାର ତ୍ରିପାଠୀ ମୁଖ୍ୟ ଦାବିଦାର ଅଛନ୍ତି। ଶ୍ରୀ ତ୍ରିପାଠୀ ଏବେ ଉନ୍ନୟନ କମିଶନର, କେବିକେ ମୁଖ୍ୟ ପ୍ରଶାସକ ଓ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପଦରେ କାର୍ଯ୍ୟ କରୁଛନ୍ତି। କିନ୍ତୁ ପାୱାର କରିଡରରେ ଚର୍ଚ୍ଚା ଅନୁସାରେ ୧୯୮୬ ବ୍ୟାଚର ଆଇଏଏସ୍ ତଥା ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁରେଶ କୁମାର ମହାପାତ୍ର ରାଜ୍ୟର ପରବର୍ତ୍ତୀ ମୁଖ୍ୟ ସଚିବ ହେବା ପାଇଁ ଲବି ଜୋରଦାର କରିଛନ୍ତି।

୧୯୮୬ ବ୍ୟାଚରେ ମୋଟ ୫ଜଣ ଆଇଏଏସ ଥିଲେ ମଧ୍ୟ ସେମାନଙ୍କ ମଧ୍ୟରୁ ଏଲଏନ୍ ଗୁପ୍ତା ସ୍ୱେଚ୍ଛାକୃତ ଅବସର ନେଇଥିବାବେଳେ ଜିଭିଭି ଶର୍ମା ଏବେ କେନ୍ଦ୍ରୀୟ ଡେପୁଟେସନରେ ଯାଇଛନ୍ତି। ସେହି ବ୍ୟାଚର ଅନ୍ୟଜଣେ ଆଇଏଏସ୍ ଏସପି ଠାକୁରଙ୍କୁ ଗତ ଦୁଇଦିନ ତଳେ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ଡିଜି ଭଳି ଗୁରୁତ୍ୱହୀନ ପଦବୀକୁ ବଦଳି କରାଯାଇଛି। ତେଣୁ ୧୯୮୬ ବ୍ୟାଚର ଆଇଏଏସ୍ ଅସିତ୍ ତ୍ରିପାଠୀ ଓ ସୁରେଶ ମହାପାତ୍ରଙ୍କ ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇଛି।

Leave a Reply

Your email address will not be published. Required fields are marked *