grossing ଟେଲି ଦୁନିଆ

ଅଟୋ ଚଲାଉଛନ୍ତି ଏହି ଟେଲି ଅଭିନେତ୍ରୀ

ମୁମ୍ୱାଇ: ଦାମୀ ଗାଡ଼ି କିଣିବାକୁ ପ୍ରାୟ ସମସ୍ତ ବଲିଉଡ୍ ଓ ଟେଲିଭିଜନ୍‌ ଷ୍ଟାର୍ ପସନ୍ଦ କରନ୍ତି। ଅନେକ ତ ସେମାନଙ୍କ ମନପସନ୍ଦ କାର୍‌ର କଲେକ୍ସନ ବି ରଖିଛନ୍ତି। ହେଲେ ଏହି ଟେଲିଭିଜନ୍ ଅଭିନେତ୍ରୀଙ୍କ ପସନ୍ଦ ପୂରା ଅଲଗା। ସେ ଅଟୋରେ ଯିବାଆସିବା କରିବାକୁ ଭଲ ପା’ନ୍ତି। ଖାଲି ସେତିକି ନୁହେଁ, ସେ ଏକ ଅଟୋ କିଣି ତାକୁ ନିଜେ ଚଲାଉଛନ୍ତି। ସେ ହେଉଛନ୍ତି, ଧାରାବାହିକ ‘ଚନ୍ଦ୍ରଗୁପ୍ତ ମୌର୍ଯ୍ୟ’ ଓ ‘ରଙ୍ଗ୍ ବଦଲତି ଓଢ଼୍‌ନୀ’ର ନାୟିକା ଯଶଶ୍ରୀ ମସୁରକର୍।

ଅଟୋ କିଣି ଚଲାଇବା ପଛରେ ଯଶଶ୍ରୀଙ୍କର ରହିଛି ଦୁଇଟି ଉଦ୍ଦେଶ୍ୟ। ପ୍ରଥମ କଥା ହେଲା, ସେ ପୁରୁଷ ପ୍ରଧାନ ସମାଜରେ କିଛି ନୂଆ କରିବାକୁ ଚାହୁଁଥିଲେ। ଆଉ ଦ୍ୱିତୀୟ କଥା ହେଲା,  ଅଟୋରେ ଯିବା ଆସିବା କରିବା ଦ୍ୱାରା ତାଙ୍କର ଖର୍ଚ୍ଚ କମିଛି।

ଏହାକୁ ନେଇ ଯଶଶ୍ରୀ କହିଛନ୍ତି, ‘ଯେତେବେଳେ ମୁଁ କାର୍‌ ରଖିଥିଲି ମୋତେ ଡ୍ରାଇଭର୍ ରଖିବାକୁ ପଡୁଥିଲା। କାରଣ ମୋତେ ଡ୍ରାଇଭିଂ ଜଣା ନଥିଲା। ଏପରିକି ଡ୍ରାଇଭର୍‌ ନ ଆସିଲେ ମୁଁ ଅସହାୟ ମନେ କରୁଥିଲି। ସବୁବେଳେ ସମାଜର ନିୟମକୁ ମୁଁ ପାଳନ କରିପାରିବି ନାହିଁ। ଯଦି କମ୍‌ ଟଙ୍କା ଖର୍ଚ୍ଚ କରି ମୋର ଆବଶ୍ୟକତା ପୂରଣ ହେଉଛି, ତେବେ ଏଥିରେ ଖରାପ କ’ଣ? ଦୁନିଆ କ’ଣ କହିବ, ସେ କଥା ମୁଁ କାହିଁକି ଚିନ୍ତା କରିବି?’

ଅଟୋ କିଣିବାର ପ୍ରେରଣା ସେ ତାଙ୍କର ଜଣେ ବନ୍ଧୁଙ୍କଠାରୁ ପାଇଥିଲେ। ତାଙ୍କ ବନ୍ଧୁ ଡେନମାର୍କରୁ ମୁମ୍ୱାଇ ସାଇକେଲ୍‌ରେ ଆସିଥିଲେ। ଏଥିପାଇଁ ତାଙ୍କୁ ୬ ମାସ ଲାଗିଥିଲା। ଏ କଥା ଯଶଶ୍ରୀଙ୍କୁ ଖୁବ୍ ପ୍ରଭାବିତ କରିଥିଲା। ପ୍ରଥମେ ପ୍ରଥମେ ସେ ଅଟୋରେ ଯିବାଆସିବା କରିଥିଲେ। ତା’ପରେ ଏକ ଅଟୋ କିଣିଥିଲେ। ସୁରକ୍ଷା ଦୃଷ୍ଟିକୋଣରୁ ତାଙ୍କ ବାପାମା’ ପ୍ରଥମେ ଏଥିରେ ରାଜି ନଥିଲେ। ତେବେ ପରେ ସେମାନେ ରାଜି ହୋଇଥିଲେ।

ଯଶଶ୍ରୀ ବର୍ତ୍ତମାନ ରେଡିଓ ଜକି ଭାବରେ କାର୍ଯ୍ୟ କରୁଛନ୍ତି। ଭଲ ଚରିତ୍ର ନ ମିଳିବା ପର୍ଯ୍ୟନ୍ତ ସେ ଅଭିନୟକୁ ଫେରିବେ ନାହିଁ କହିଛନ୍ତି।

Leave a Reply

Your email address will not be published. Required fields are marked *