ଏକ୍ସକ୍ଲୁସିଭ୍

ଜିଲ୍ଲାପାଳଙ୍କ ସହ ଚାଲିଛି ମତ ବିନିମୟ

  • ମଠ ସଂସ୍କୃତିକୁ ରହୁ, ଆଗ ଥଇଥାନ-କ୍ଷତିଗ୍ରସ୍ତ କମିଟି
  • ମୁଁ ଚାହୁଁଛି ସ୍ଥାୟୀ ପ୍ରତିକାର-ଜିଲ୍ଲାପାଳ
  • ସାଧୁ-ସନ୍ୟାସୀଙ୍କ ଭୟରେ ଉଚ୍ଛେଦ ସ୍ଥଗିତପୁରୀ, ୪/୯: ମଠ ସଂସ୍କୃତି ରହୁ, ଅନ୍ୟ ସ୍ଥାନରେ ଉଚ୍ଛେଦ କରିବା ପୂର୍ବରୁ ପ୍ରଶାସନ ଆଗ ଥଇଥାନ କରୁ । କ୍ଷତିପୂରଣ ଦେଉ । ଏହି ଦାବିରେ ଅଡ଼ିବସିଛନ୍ତି କ୍ଷତିଗ୍ରସ୍ତ କମିଟି । ହେଲେ ସବୁ ସମସ୍ୟାର ସ୍ଥାୟୀ ସମାଧାନ ଚାହାନ୍ତି ଜିଲ୍ଲାପାଳ ବୋଲି କମିଟି ଆଗରେ କହିଛନ୍ତି । ଏହାକୁ ନେଇ ଚାଲିଛି ମତ ବିନିମୟ । କିଛି ବି ସିଦ୍ଧାନ୍ତ ବାହାରି ପାରୁନାହିଁ । ତେଣେ ଉଚ୍ଛେଦକୁ ଅସ୍ଥାୟୀ ଭାବେ ସ୍ଥଗିତ କରାଯାଇଥିବା ପ୍ରଶାସନ କହିଛି ।
    ପୁରୀ ଉଚ୍ଛେଦରେ କ୍ଷତିଗ୍ରସ୍ତ ଲୋକେ, ମଠ ସଂସ୍କୃତି ପାଇଁ ଯୁକ୍ତି ଦର୍ଶାଉଥିବା ବ୍ୟକ୍ତି ବିଶେଷଙ୍କୁ ନେଇ ପୁରୀ ବିଧାୟକ ଜୟନ୍ତ ଷଢ଼ଙ୍ଗୀ ଜିଲ୍ଲାପାଳଙ୍କ ସହ ଆଲୋଚନା କରୁଛନ୍ତି । ୧୫ଜଣିଆ କମିଟି ଜିଲ୍ଲାପାଳଙ୍କ ସହ ଆଲୋଚନା କରିବାବେଳେ, ସରକାରଙ୍କ ଥଇଥାନ ଓ କ୍ଷତିପୂରଣ ପ୍ରତିଶ୍ରୁତି ଉପରେ ପ୍ରଶ୍ନ ଉଠାଇଛି ।
    ୧୯୯୬ ହେଉ ବା ୨୦୧୩/୧୪ ଉଚ୍ଛେଦ ହେଉ, କୌଣସି ଉଚ୍ଛେଦର ବିସ୍ଥାପିତଙ୍କୁ ଏପର୍ଯ୍ୟନ୍ତ ଥଇଥାନ କରାଯାଇ ନାହିଁ । ଅନେକଙ୍କୁ କ୍ଷତିପୂରଣ ବି ମିଳିନାହିଁ । ତେଣୁ ଏଥର ସରକାରଙ୍କ ପ୍ରତିଶ୍ରୁତି କେତେ ସତ୍ୟ ହେବ ତାହା ଉପରେ ସନେ୍ଦହ ରହିଛି । ଏହାବ୍ୟତୀତ ମଠ ହେଉଛି ଏକ ସଂସ୍କୃତି । ଏହାର ସଂରକ୍ଷଣ କରାଯାଉ, ମଠକୁ ଭଙ୍ଗାନଯାଉ ବୋଲି ସେମାନେ ଦାବି ରଖିଥିଲେ ।
    ଆଲୋଚନା ବେଳେ ଜିଲ୍ଳାପାଳ ବଲୱନ୍ତ ସିଂହ କହିଲେ, ଉଚ୍ଛେଦର ସ୍ଥାୟୀ ପ୍ରତିକାର କରାଯିବାକୁ ଯୋଜନା କରାଯାଇଛି । ମଠ ଯେଉଁ ଗୁଡ଼ିକ ବିପଦ ସଂକୁଳ ତାହାକୁ ଭଙ୍ଗାଯିବ । ମଠର ମୂଳ ସ୍ଥିତି ରହିବ ଓ ଅଧିକ ବିକଶିତ ହେବ । ମଠ ସଂସ୍କୃତିକୁ ବଳିଷ୍ଠ କରାଯିବ । ବିସ୍ଥାପିତଙ୍କୁ ପର୍ଯ୍ୟାପ୍ତ ପରିମାଣର ସହାୟତା ଦିଆଯିବ । ସରକାର ସହାୟତା ପ୍ୟାକେଜ ଘୋଷଣା କରିସାରିଛନ୍ତି । ସର୍ଭେ ପରେ ତୁରନ୍ତ ତାହା ପ୍ରଦାନ କରାଯିବ ।
    ଏହି ଆଲୋଚନା ବେଳେ କୌଣସି ନିର୍ଦ୍ଧିଷ୍ଟ ନିର୍ଣ୍ଣୟ ହୋଇ ପାରିନାହିଁ । କମିଟି ସଦସ୍ୟମାନେ ନିଜ ଦାବି ପ୍ରଶାସନ ଆଗରେ ଥୋଇଛନ୍ତି । ଜିଲ୍ଲାପାଳ ସେସବୁ ଉପରେ ବିଚାର କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।
    ସୂଚନାଯୋଗ୍ୟ, ମଠକୁ ଧୂଳିସାତ କରୁଥିବା ପ୍ରଶାସନକୁ ପ୍ରଥମେ ଏମାଆର ମଠ ମହନ୍ତ ଚ୍ୟାଲେଞ୍ଜ କରିଥିବା ବେଳେ ଏବେ ବଡ଼ ଆଖଡ଼ାମଠ ମହନ୍ତ ଓ ସାଧୁସନ୍ୟାସୀ ମାନେ ପ୍ରଶାସନକୁ ଚ୍ୟାଲେଞ୍ଜ କରିଛନ୍ତି । ସାଧୁମାନେ ମୁକାବିଲା ପାଇଁ ଓହ୍ଲାଇ ପଡ଼ିବା ପରେ ପ୍ରଶାସନ ୧୯୫୫ସ୍ଥିତିକୁ ମନେ ପକାଇ ପଛେଇ ଯାଇଛି । ଏବେ ସାଧୁଙ୍କୁ ମୁକାବିଲା କରିବାକୁ ବାଟ ଖୋଜୁଥିବା ବେଳେ ଉଚ୍ଛେଦ ସ୍ଥଗିତ ରହିଛି ।

Leave a Reply

Your email address will not be published. Required fields are marked *