grossing ଖାଦ୍ୟ

ଟଙ୍କାକରେ ପ୍ଲେଏଟେ ଇଡ୍‌ଲି ସମ୍ବର ବିକନ୍ତି ୮୦ ବର୍ଷୀୟା ବୃଦ୍ଧା!

ନୂଆଦିଲ୍ଲୀ: ଆଜିକାଲିର ବ୍ୟୟସାପେକ୍ଷ ସମାଜରେ ଏକ ଟଙ୍କାରେ କ’ଣ ଖାଇବାକୁ ମିଳିବ? ଅଧିକରୁ ଅଧିକ ଗୋଟେ ଛୋଟ ଚକୋଲେଟ୍‌? କିନ୍ତୁ ଏଇ ଟଙ୍କାକରେ  ଜଣେ କେହି ଆପଣଙ୍କୁ ଗୋଟେ ପ୍ଲେଟ୍‌ରେ ଗୋଟେ ବଡ଼ ଇଡ୍‌ଲି ସହ ସୁଆଦିଆ ସମ୍ବର ଓ ଚଟଣୀ ଦେଇପାରିବେ। ଆପଣ ଏ କଥା ବିଶ୍ୱାସ କରିବେ ନା ହସିକି ଉଡ଼େଇଦେବେ। କାରଣ ଆପଣ ଗୋଟେ ପ୍ଲେଟ୍‌ ଇଡ୍‌ଲି ସମ୍ବର ଖାଇବାକୁ ପାଖାପାଖି ୧୫ରୁ ୨୦ ଟଙ୍କା ଖର୍ଚ୍ଚ କରୁଥିବେ। ଆଉ ଏ ସମୟରେ ଏକଥା ଶୁଣି ଆପଣ କହିବାକୁ ଚାହୁଁଥିବେ, ସେକାଳ ପଖାଳ ଗଲାଣି ଆଜ୍ଞା। ହଁ, ଯାଇଛି ନିଶ୍ଚିତ, ଦରଦାମ୍‌ ଆକାଶଛୁଆଁ ହୋଇଛି ନିଶ୍ଚିତ। କିନ୍ତୁ ଏବେ ବି ଏମିତି କିଛି ସହୃଦୟ ମଣିଷ ରହିଛନ୍ତି ଯେଉଁମାନ ଭୋକିଲା ପେଟର ପାଉଣା ମାପନ୍ତିନି। ସେମିତି କିଛି ମହତ ମଣିଷଙ୍କ ମଧ୍ୟରୁ ତାମିଲ୍‌ନାଡୁର କେ. କମଲାଥାଲ୍‌ ଅନ୍ୟତମ।

ତାମିଲ୍‌ନାଡୁର ବଦିଭେଲମ୍‌ପାଲ୍ୟମର ୮୦ ବର୍ଷୀୟା ମହିଳା କେ. କମଲାଥାଲ୍‌। ସେ କୌଣସି ସାଧାରଣ ମହିଳା ନୁହଁନ୍ତି। ପରିଣତ ବୟସରେ ତାଙ୍କୁ ପରର ଚିନ୍ତା। କେମିତି ଲୋକେ ଗଣ୍ଡେ ଭଲରେ ଖାଇବେ ସେହି ଲକ୍ଷ୍ୟ ନେଇ ସେ ନିଇତି ତାଙ୍କର ଦୋକାନ ଦୁଆର ଖୋଲନ୍ତି। ୩୦ ବର୍ଷ ହେବ କମଲାଥାଲ୍‌ ଗୋଟେ ଇଡ୍‌ଲି ସମ୍ବର ଦୋକାନ କରିଛନ୍ତି। କମଲାଥାଲ୍‌ଙ୍କ ପରି ସେ ଦୋକାନ ବି ସାଧାରଣ ଦୋକାନ ନୁହେଁ। କାରଣ ଏହି ଦୋକାନରେ ହିଁ ଟଙ୍କାଟେ ଦେଲେ ପ୍ଲେଟ୍‌ରେ ଗୋଟେ ବଡ଼ ଇଟ୍‌ଲି ସହ କିଛି ଚଟପଟା ଚଟଣୀ ମିଳିଯାଏ।

ଯୌଥ ପରିବାରରେ ଜନ୍ମ ଗ୍ରହଣ କରିଥିଲେ କମଲାଥାଲ୍‌। ପିଲାଦିନୁ ରୋଷେଇ କରି ପୂରା ପରିବାରକୁ ଖୁଆଇବାର ଇଚ୍ଛା ଆଉ ଅଭ୍ୟାସ ସେମିତି ଥିଲା। ପରିବାରରେ ସମସ୍ତେ ଶାନ୍ତିରେ ଖାଇଲେ କମଲାଥାଲ୍‌ଙ୍କ ପେଟ ପୂରିଯାଏ। ଖାଇବା ପ୍ରସ୍ତୁତ କରିବା ଏବଂ ଖୁଆଇବା ଏ ଦୁଇଟି ତାଙ୍କ ଜୀବନର ଦୁଇ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ। ସେଥାପାଇଁ ତ ସେ ବିନା କ୍ଲାନ୍ତିରେ ଲୋକମାନଙ୍କ ପାଇଁ ଖାଇବା ପ୍ରସ୍ତୁତ କରନ୍ତି। କମଲାଥାଲ୍‌ ଏକାକି ତାଙ୍କ ଦୋକାନର ସମସ୍ତ ଦାୟିତ୍ୱ ନେଇଛନ୍ତି। ରାତିରେ ବିରି, ଚାଉଳ ବତୁରେଇ ତାକୁ ବାଟିକି ରଖନ୍ତି ଏବଂ ସକାଳେ ସେ ସେହି ଆଣରେ ଇଟ୍‌ଲି ପ୍ରସ୍ତୁତ କରନ୍ତି।

ଆଉ ଏତେ କମ୍‌ ଦାମ୍‌ ରଖିବା ପଛରେ କମଲାଥାଲ୍‌ଙ୍କର ଏକ ସୁନ୍ଦର ଉଦ୍ଦେଶ୍ୟ ରହିଛି। ତାଙ୍କ କହିବା ଅନୁଯାୟୀ ବଦିଭେଲମ୍‌ପାଲ୍ୟମର ପ୍ରାୟ ଲୋକ ନିମ୍ନ ମଧ୍ୟମ ବର୍ଗର । ଅଧିକାଶଂ ଲୋକଙ୍କ ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନୁହେଁ। ଏମିତି ପରିବେଶରେ ଲୋକଙ୍କ ପାଇଂ ୧୫-୨୦ ଟଙ୍କା ଖର୍ଚ୍ଚ କରି ଜଳଖିଆ ଖାଇବା କଷ୍ଟକର।

ତେବେ ଏହି ବ୍ୟବସାୟରୁ ସେ କିଛି ଲାଭ ପାଆନ୍ତି ବୋଲି ପ୍ରଶ୍ନ କଲେ କମଲାଥାଲ୍‌ କୁହନ୍ତି, ସେଇଟା ତାଙ୍କର ମୁଖ୍ୟ ଲକ୍ଷ୍ୟ ନୁହେଁ।  କିଛି ଲୋକ ତାଙ୍କୁ  ଦର ବଢ଼େଇବାର ପ୍ରସ୍ତାବ ଦେଇଛନ୍ତି। କିନ୍ତୁ ସେ ମନା କରିଦେଇଥିଲେ। ସେ କହିଥିଲେ ଯେ, ସେ ଗୋଟେ ପ୍ରକାର ଗରିବ ଲୋକଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରୁଛନ୍ତି। ଯେଉଁମାନଙ୍କୁ ଖାଦ୍ୟର ଆବଶ୍ୟକ ରହିଛି ଯେଉଁମାନେ ନିହାତି ଭୋକିଲା, ସେମାନଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ ଦେଉଛି। ଭୋକିଲା ପେଟକୁ ନେଇ କି ବ୍ୟବସାୟ?

Leave a Reply

Your email address will not be published. Required fields are marked *