ପର୍ଯ୍ୟଟନ

ନୈସର୍ଗିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ‘ଚାଙ୍ଗଲାଙ୍ଗ୍‌’ ଥରେ ବୁଲି ଆସନ୍ତୁ

ଭୁବନେଶ୍ୱର : ଯଦି ଆପଣ ପ୍ରାକୃତିକ ସୌନ୍ଦର୍ଯ୍ୟ ସାଙ୍ଗକୁ ଐତିହାସିକ ଜାଗା ଭ୍ରମଣ କରିବାକୁ ଚାହୁଁଛନ୍ତି, ତା ହେଲେ  ଅରୁଣାଚଳପ୍ରଦେଶସ୍ଥିତ ‘ଚାଙ୍ଗଲାଙ୍ଗ’ ପ୍ରକୃଷ୍ଟ ସ୍ଥାନ। ପ୍ରକୃତି କୋଳରେ ବସିଥିବା ଏହି ଗାଁ ନୈସର୍ଗିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ। ଏଠାକୁ ଥରେ ବୁଲି ଆସିଲେ, ପାହାଡ, ଘଞ୍ଚ ଜଙ୍ଗଲ ମଧ୍ୟରେ ମାଇଲି ମାଇଲି ଦୂର ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇଥବା ପର୍ବତ ଶୃଙ୍ଖଳାକୁ ଦେଖି ଆପଣ ସବୁ ଚିନ୍ତା ଭୁଲିଯିବେ।

କ’ଣ ଦେଖିବେ: ଦ୍ୱିତୀୟ ବିଶ୍ୱଯୁଦ୍ଧରେ ପ୍ରାଣ ହରାଇଥିବା ସୈନିକମାନଙ୍କର ଏଠାରେ କବରସ୍ଥାନ ରହିଛି। ଯାହାକି ‘ଜୟରାମପୁର କବରସ୍ଥାନ’ ନାମରେ ପରିଚିତ। ଏଠାରେ ପହଞ୍ଚି ଆପଣ ଉକ୍ତ ଯୁଦ୍ଧର ବିଭୀଷିକାକୁ ମଧ୍ୟ ହୃଦୟଙ୍ଗମ କରିପାରିବେ।

ଚାଙ୍ଗଲାଙ୍ଗରେ ଏକ ନ୍ୟାସନାଲ ପାର୍କ ରହିଛି। ଯେଉଁଠାରେ ଆପଣ ବାଘଠୁ ଆରମ୍ଭ କରି ହିମାଳୟ ଭାଲୁ. ବିଭିନ୍ନ ପ୍ରଜାତିର ଜୀବଜନ୍ତୁ, ଭଳିକି ଭଳି ବୃକ୍ଷରାଜି ମଧ୍ୟ ଦେଖି ପାରିବେ।  ଏଠାରେ ଥିବା ନୋଆ-ଦେହିଙ୍ଗ ନଦୀ କୂଳରେ ତିବତଙ୍କ ବସତି ରହିଛି। ତେଣୁ ଆପଣ ଏଠାକୁ ବୁଲି ଆସିଥିଲେ, ସେମାନଙ୍କଠାରୁ ଶୀତ ବସ୍ତ୍ର ନେବାକୁ ଭୁଲନ୍ତୁ ନାହିଁ।

ଚାଙ୍ଗଲାଙ୍ଗରେ ଥିବା ଏକ ହ୍ରଦର ନାଁ ‘ ଲେକ୍‌ ଅଫ୍‌ ନୋ ରିଟର୍ନ’। ଏଠାକୁ ଆସୁଥିବା ପର୍ଯ୍ୟଟକ ଏହି ହ୍ରଦ ବୁଲି ଯିବାକୁ ଭୁଲନ୍ତି ନାହିଁ। ଏହାର ନାମକରଣ ପଛରେ ରହିଛି ଏକ ବିଶେଷତ୍ୱ।  କୁହାଯାଏ , ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଏଠାରେ ଏକ ପ୍ଲେନ ଅବତରଣ କରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଯାଇଥିଲା। ଫଳରେ ସେଥିରେ ଥିବା ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା। ତେଣୁ ଏହି ହ୍ରଦର ଏପରି ନାମକରଣ ହୋଇଛି। ଏହାର ଅର୍ଥ ଏହା ଏପରି ଏକ ହ୍ରଦ ଯେଉଁଠିକି ଥରେ ଆସିଲେ କେହି ଫେରନ୍ତି ନାହିଁ।

କିପରି ଯିବେ:   ଚାଙ୍ଗଲାଙ୍ଗରେ ପହଞ୍ଚିବାକୁ ଆପଣ ଆକାଶମାର୍ଗ, ରେଳପଥ କିମ୍ୱା ସଡକ ପଥ ବାଛି ପାରିବେ। ଆପଣ ଦିଲ୍ଲୀରୁ ଏଠାକୁ ଯିବାକୁ ଚାହୁଁଥିଲେ ରେଳପଥରେ ୫୦ ଘଣ୍ଟା ଯାତ୍ରା କରିବାକୁ ପଡିବ। ଏହାର ନିକଟତମ ଏୟାରପୋର୍ଟ ହେଉଛି ଆସାମର ମୋହନବାଡି। ଏହା ଚାଙ୍ଗଲାଙ୍ଗଠାରୁ  ୧୮୨ କି.ମି. ଦୂରରେ ସ୍ଥିତ। ଏଠାରୁ ଆପଣ ବସ୍‌ ଯୋଗେ ନଚେତ ଟ୍ୟାକ୍ସି ରିଜର୍ଭ କରି ଯାଇ ପାରିବେ।

ଯଦି ଆପଣ ଟ୍ରେନରେ ଯିବାକୁ  ଚାହିଁଛନ୍ତି ତା ହେଲେ ନିକଟତମ ରେଳଷ୍ଟେଶନ ହେଉଛି ଆସାମର ତିନସୁକିୟା।  ଏହା ସହରଠାରୁ ପ୍ରାୟ ୧୪୧ କି.ମି ଦୂରରେ ସ୍ଥିତ। ଆପଣ ବସ୍‌ରେ ବି ଗନ୍ତବ୍ୟ ସ୍ଥଳକୁ ଯାଇ ପାରିବେ। ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଆପଣ ବର୍ଷର ଯେକୌଣସି ସମୟରେ ଏଠାକୁ ଯାଇ ପ୍ରକୃତି କୋଳିରେ ନିଜକୁ ହଜାଇ ପାରିବେ।

Leave a Reply

Your email address will not be published. Required fields are marked *