ପ୍ର. ବର୍ଣ୍ଣବୋଧ ପୋଡ଼ିବାରେ ଆପଣଙ୍କର ସମ୍ପୃକ୍ତିକୁ ନେଇ କ’ଣ କହିବେ ?
ଉ. କିଛି ଲୋକ ଫୋନ୍ କରିବା ପରେ ମୁଁ ଏହି ଖବର ଜାଣିବାକୁ ପାଇଥିଲି। ଫେସବୁକ୍ କ’ଣ ମୁଁ ଜାଣିନି। ମୋ ପାଖରେ କେବଳ ଗୋଟିଏ ଫୋନ୍ ଅଛି। କିଏ ଫୋନ୍ କଲେ ମୁଁ କେବଳ ଉଠାଇପାରେ। ମଧୁ ବର୍ଣ୍ଣବୋଧ ଯିଏ ପୋଡ଼ିଛି, ମୁଁ ତାକୁ ଘୋର ନିନ୍ଦା କରୁଛି। ଏହି ବହିକୁ ପଢ଼ି ମୁଁ ଆଜି କବି ହୋଇ ଛିଡ଼ା ହୋଇଛି। ଏହି ଖବର ପ୍ରସାରିତ ହେବା ପରେ ମୁଁ ପୁଲିସ୍ରେ ମାମଲା ରୁଜୁ କରିବା ପରେ ପ୍ରକୃତ ଦୋଷୀ ଧରାପଡ଼ିଛି। ଏହା ସାରା ଓଡ଼ିଶା ଲାଗି ଏକ କଳଙ୍କିତ ଅଧ୍ୟାୟ।
ପ୍ର. ଆପଣଙ୍କ ନାମରେ ଅନ୍ୟ କିଛି ଫେସ୍ବୁକ୍ ଆଇଡି ଅଛି କି ?
ଉ. ଏହାକୁ ନେଇ ମୁଁ କିଛି ଜାଣିନାହିଁ। ମୁଁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଛି। ଫେସ୍ବୁକ୍ କିମ୍ୱା ଇମେଲ୍ ବିଷୟରେ ମୁଁ କିଛି ଜାଣିନାହିଁ। ହଳଧର ନାଗ ଜଣେ କବି। ଲେଖିବା ଓ ଭାଷାର ପ୍ରଚାର ପ୍ରସାର ପାଇଁ ସେ ଜୀବନ ଦେଇପାରେ। ତାହାକୁ ନେଇ କୂଟନୀତି କରା ନଯାଉ।
ପ୍ର. ଯେଉଁମାନେ ଆପଣଙ୍କ ନାମରେ ଆକାଉଣ୍ଟ୍ ଖୋଲୁଛନ୍ତି, ତାହାକୁ ନେଇ ଆପଣ କ’ଣ କହିବେ ?
ଉ. ଯେଉଁମାନେ ବି ଏପରି କରୁଛନ୍ତି, ସେଥିପାଇଁ ହଳଧର ନାଗ ଦାୟୀ ନୁହନ୍ତି। ହଳଧର ନାଗ ପାଠ ପଢ଼ିନାହିଁ। ମୁଁ ଚାହୁଁଛି ଦୋଷୀ ଦଣ୍ଡ ପାଉ।
ପ୍ର. ସୋଶାଲ୍ ମିଡିଆରେ ଭାଷାକୁ ନେଇ ଆନ୍ଦୋଳନ ଚାଲିଛି। ଏହାକୁ ନେଇ ଆପଣଙ୍କର ପ୍ରତିକ୍ରିୟା କ’ଣ ?
ଉ. ଯେପରି ଭିନ୍ନ ଭିନ୍ନ ଜାତିକୁ ନେଇ ମଣିଷ ତିଆରି ହୋଇଛନ୍ତି। ଠିକ୍ ସେହିପରି ଭିନ୍ନ ଭିନ୍ନ ଭାଷାକୁ ନେଇ ସାହିତ୍ୟର ସୃଷ୍ଟି। ଜାତି ଭିନ୍ନ ହୋଇପାରେ, କିନ୍ତୁ ଆଦର୍ଶ ବ୍ୟକ୍ତି ହିଁ ଜଣେ ମଣିଷ। ଭାଷା ‘ଭାଷା’ ହୋଇପାରେ, ‘ଉପଭାଷା’ ହୋଇପାରେ, ‘ଅଭାଷା’ ହୋଇପାରେ ଏବଂ ‘କୁଭାଷା’ ମଧ୍ୟ ହୋଇପାରେ। ଯେଉଁ ଭାଷାରେ ଲୋକ ସାହିତ୍ୟ ଅଛି ଓ ସତ୍ ସାହିତ୍ୟ ଅଛି ଏବଂ ଯେଉଁ ଭାଷାର ସାହିତ୍ୟ ସମାଜକୁ ଏକ ଦିଗ୍ଦର୍ଶନ ଦେଉଛି, ତାହା ହେଉଛି କାଳଜୟୀ ସାହିତ୍ୟ। ସମ୍ୱଲପୁରୀ ପରି ଏକ ଅବହେଳିତ ସାହିତ୍ୟକୁ ନେଇ ମୁଁ ଜାତୀୟ ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇପାରିଛି। ସମ୍ୱଲପୁରୀ ଭାଷା ଅବହେଳିତ ହୋଇ ସରକାରୀ ମାନ୍ୟତା ପାଇ ନଥିଲେ ମଧ୍ୟ ଇଂରାଜୀରେ ଅନୁବାଦ ହେବା ପରେ ଏହି ସାହିତ୍ୟ କ’ଣ ଲୋକ ଜାଣିବାକୁ ପାଇଲେ। ତେଣୁ ସବୁ ଭାଷା ସମାନ।