top1 trending ଜାତୀୟ

ଭାଲେଣ୍ଟାଇନ ଡେ’ରେ ଶପଥ ନେବେ କେଜରିଓ୍ବାଲ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ ଆଦ୍‌ମୀ ପାର୍ଟି (AAP) ପୁଣିଥରେ ବିଶାଳ ବିଜୟ ହାସଲ କରିଛି। ଦିଲ୍ଲୀ ବିଧାନସଭାର ୭୦ଟି ଆସନ ମଧ୍ୟରୁ ଆମ ଆଦମୀ ପାର୍ଟି ୬୨ଟି ଆସନ ଦଖଲ କରିବା ପରେ ପୁଣିଥରେ ଦିଲ୍ଲୀରେ ସରକାର ଗଠନ କରିବା ପଥ ପରିସ୍କାର ହୋଇଯାଇଛି। ଏହି ବିଜୟ ସହ ପୁଣି ଥରେ ଅରବିନ୍ଦ କେଜରିଓ୍ବାଲ ମୁଖ୍ୟମନ୍ତ୍ରୀ ହେବେ। ମୁଖ୍ୟମନ୍ତ୍ରୀ ଭାବେ ସେ ଫେବ୍ରୁଆରି ୧୪ ତାରିଖ ଅର୍ଥାତ୍‌ ଭାଲେଣ୍ଟାଇନ୍ସ ଡେ’ରେ ଶପଥ ନେବେ ବୋଲି ଆଲୋଚନା ହେଲାଣି। ଭାଲେଣ୍ଟାଇନ୍ସ ଡେ’ ସହ କେଜରିଓ୍ବାଲଙ୍କ ଭିନ୍ନ ସମ୍ପର୍କ ରହିଛି। ୨୦୧୩ରେ କେଜରିଓ୍ବାଲଙ୍କ ନେତୃତ୍ୱରେ ଆପ ଦିଲ୍ଲୀରେ ସରକାର ଗଠନ କରିଥିଲା। ସେତେବେଳେ କଂଗ୍ରେସ ସହ ମେଣ୍ଟ କରି ସରକାର ଗଠନ କରିଥିବା ବେଳେ କେଜରିଓ୍ବାଲ ମୁଖ୍ୟମନ୍ତ୍ରୀ ପଦରେ ବସିଥିଲେ। କିନ୍ତୁ ଏହା ବେଶୀ ଦିନ ତିଷ୍ଠି ନ ଥିଲା। ୪୯ ଦିନ ପରେ ଏହି ସରକାର ଭାଙ୍ଗି ଯାଇଥିଲା। ଆଉ ଫେବ୍ରୁଆରି ୧୪ରେ କେଜରିଓ୍ବାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ୨୦୧୫ରେ ୬୭ ଆସନରେ ଜିତି କେଜରିଓ୍ବାଲ ପୁଣିଥରେ ସରକାର ଗଠନ କରିଥିଲେ। ୨୦୧୫ ଫେବ୍ରୁଆରି ୧୪ରେ କେଜରିଓ୍ବାଲ ଶପଥ ନେବାକୁ ନିଷ୍ପତ୍ତି ନେଇଥିଲେ। ଏଥିରୁ ଅନୁମାନ କରାଯାଉଛି ସେ ୧୪ ଭାଲେଣ୍ଟାଇନ୍ସ ଡେ’ରେ ଶପଥ ନେଇପାରନ୍ତି। ଉଲ୍ଲେଖଯୋଗ୍ୟ, ଚଳିତ ବିଧାନସଭା ନିର୍ବାଚନରେ ଆମ୍‌ ଆଦ୍‌ମୀ ପାର୍ଟି ୬୨ଟି ଆସନ ଦଖଲ କରିଥିଲା ବେଳେ ବିଜେପିର ମାତ୍ର ୮ଜଣ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଏହି ନିର୍ବାଚନରେ କଂଗ୍ରେସ ଦଳ ଲଗାତର ଦ୍ବିତୀୟଥର ମୂଳପୋଛ ‌ହୋଇଯାଇଛି।

Leave a Reply

Your email address will not be published. Required fields are marked *