ପଶାପାଲି

‘ପିସି’ କାରବାର ଉପରେ ଅଙ୍କୁଶ ନାହିଁ, ଚାଲିଛି ଭାବମୂର୍ତ୍ତି ସଜାଡ଼ିବା ଉଦ୍ୟମ!

ଭୁବନେଶ୍ୱର : ଦୁର୍ନୀତି ବିରୁଦ୍ଧରେ ‘ଜିରୋ ଟଲେରାନ୍ସ ’ର ଡିଣ୍ଡିମ ପିଟି ଭାବମୂର୍ତ୍ତି ସଜାଡ଼ିବା ନିମନ୍ତେ ରାଜ୍ୟ ସରକାର ଆଜି ପୁଣି ୬ ଜଣ କର୍ମଚାରୀଙ୍କୁ ବରଖାସ୍ତ କରିବା ସହ ୪ ଜଣ ଅବସରପ୍ରାପ୍ତ କର୍ମଚାରୀଙ୍କ ପେନସନ୍ ବନ୍ଦ କରିଛନ୍ତି। ଚଳିତ ମାସରେ ମୋଟ ୨୧ ଜଣ ସରକାରୀ କର୍ମଚାରୀଙ୍କୁ ଚାକିରିରୁ ବରଖାସ୍ତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ‘ଦୁର୍ନୀତି ବିରୋଧୀ ନୀତି’ ଓ ‘ଫାଇଭ-ଟି’ ମନ୍ତ୍ରକୁ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇବାର ଉଦ୍ୟମ ହେଉଛି। ମାତ୍ର ଏପଟେ ରାଜ୍ୟର ତଳଠୁ ଉପର ପର୍ଯ୍ୟନ୍ତ ବିଭିନ୍ନ ସରକାରୀ ଅଫିସରେ ‘ପିସି’ କାରବାର ବେଧଡ଼କ ଭାବେ ଚାଲିଛି। ଏପରିକି ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳି ସରକାରରେ ବ୍ଲକଗୁଡ଼ିକରେ ‘ପିସି’ ପରିମାଣ ସର୍ବନିମ୍ନ ୧୦%ରୁ ବଢ଼ି ୧୨% ଛୁଇଁଲାଣି। ଏହି ‘ପିସି’ କାରବାର ଉପରେ କିନ୍ତୁ ସରକାରୀ ସ୍ତରରେ କଟକଣା ଲାଗି ପାରୁନି କିମ୍ବା ସେଭଳି କଠୋର ଆଭିମୁଖ୍ୟ ପୋଷଣ କରିବାରେ ନବୀନ ପଟ୍ଟନାୟକ ସରକାର ଏପର୍ଯ୍ୟନ୍ତ ସକ୍ଷମ ହୋଇପାରୁନାହାନ୍ତି।

ସୂଚନା ଅନୁସାରେ, ରାଜ୍ୟର ୩୧୪ଟି ବ୍ଲକ୍ ମାଧ୍ୟମରେ ସାଧାରଣ ଲୋକଙ୍କୁ ବିଭିନ୍ନ ପ୍ରକାରର ସରକାରୀ ସୁବିଧାସୁଯୋଗ ମିଳିଥାଏ । ରାସ୍ତାଘାଟ କାମଠୁ ଆରମ୍ଭ କରି ଭତ୍ତା ଓ ଘର ଆଦି ଏହି ବ୍ଲକଗୁଡ଼ିକ ମାଧ୍ୟମରେ ସମ୍ପନ୍ନ ହୋଇଥାଏ। କିନ୍ତୁ ବ୍ଲକଗୁଡ଼ିକରେ ବିଭିନ୍ନ ପ୍ରକାରର ନିର୍ମାଣ କାର୍ଯ୍ୟରେ ‘ପିସି’ ଆଦାୟ ହେବା ଏକ ବାଧ୍ୟତାମୂଳକ ଓ ଅପରିହାର୍ଯ୍ୟ ପ୍ରକ୍ରିୟା ପାଲଟିଛି। ଗତ ଦୁଇ ଦଶନ୍ଧି ଧରି ରାଜ୍ୟରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ସରକାର ଚାଲିଥିଲେ ମଧ୍ୟ ଏହି ‘ପିସି’ ଉପରେ ନିୟନ୍ତ୍ରଣ ସମ୍ଭବପର ହୋଇପାରିନି।

Leave a Reply

Your email address will not be published. Required fields are marked *