ପାଗଳା ପାଞ୍ଜି

ବିଜେଡି ବିଧାୟକଙ୍କୁ ଦୁଇ ଦୁଇ ଥର ‘ଗୁରୁମନ୍ତ୍ର’ କାହିଁକି

ଭୁବନେଶ୍ୱର : ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନବନିର୍ବାଚିତ ଦଳୀୟ ବିଧାୟକମାନଙ୍କୁ ନବୀନ ନିବାସ ଡାକି ‘ବ୍ରେକଫାଷ୍ଟ’ରେ ଆପ୍ୟାୟିତ କରିଛନ୍ତି। ଏହାସହିତ ପୁଣିଥରେ ‘ସରଳ’ ଜୀବନଯାପନର ଗୁରୁମନ୍ତ୍ର ଦେଇଛନ୍ତି। ତେବେ କେବଳ ନବନିର୍ବାଚିତ ବିଧାୟକମାନଙ୍କୁ ନବୀନଙ୍କ ଏଭଳି ଗୁରୁମନ୍ତ୍ର ଦେବା ପଛରେ କ’ଣ କାରଣ ରହିଛି ତାକୁ ନେଇ ରାଜନୀତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି।

ବିଜେଡି ସୂତ୍ର ଅନୁସାରେ, ସାଧାରଣତଃ ଅତ୍ୟନ୍ତ ଜରୁରୀ ନଥିଲେ ଦଳୀୟ ବିଧାୟକମାନଙ୍କୁ ନବୀନ ଭେଟନ୍ତି ନାହିଁ। ନବୀନଙ୍କ ଦ୍ୱାରା ଅଧିସ୍ୱୀକୃତିପ୍ରାପ୍ତ ବ୍ୟକ୍ତିମାନେ ହିଁ ଦଳୀୟ ବିଧାୟକ ଓ ନେତାମାନଙ୍କୁ ଭେଟିଥାନ୍ତି। ବିଜେଡି ହେଉଛି ‘ବିଧାୟକକେନ୍ଦ୍ରିକ’ ଦଳ ଯେଉଁଠି ଏମଏଲଏ ପ୍ରୋଟେକଲକୁ ଗୁରୁତ୍ୱ ମିଳିଥାଏ। ଏପରିକି ସାଂଗଠନିକ କାର୍ଯ୍ୟରେ ମଧ୍ୟ ବିଧାୟକମାନଙ୍କୁ ପ୍ରାଥମିକତା ମିଳେ। ଆଗକୁ ପୌର ନିର୍ବାଚନ ଓ ସାଂଗଠନିକ ନିର୍ବାଚନ ରହିଛି। ନବନିର୍ବାଚିତ ବିଧାୟକମାନଙ୍କ ଆଗରେ ତୃଣମୂଳସ୍ତରରେ ସାଂଗଠନିକ କାର୍ଯ୍ୟକୁ ଆଗେଇ ନେବା ବି ଏକପ୍ରକାର ଚ୍ୟାଲେଞ୍ଜ ରହିବ। କାରଣ ଦଳର ପ୍ରଥମଥର ବିଧାନସଭାକୁ ଆସିଥିବା ୪୧ ବିଧାୟକଙ୍କ ମଧ୍ୟରୁ ଅଧିକାଂଶ ଅନ୍ୟ ଦଳରୁ ଆସି ଟିକେଟ୍ ନେଇ ଜିତିଛନ୍ତି। ବିଜେଡି ସଂଗଠନର ତଥାକଥିତ ‘ଗଣତାନ୍ତ୍ରିକ’ ପଦ୍ଧତି ପ୍ରତି ସେମାନେ ସଚେତନ ନୁହଁନ୍ତି। ଯେଉଁଥିପାଇଁ ସେହି ନବାଗତ ବିଧାୟକମାନଙ୍କୁ ବାରମ୍ବାର ଟ୍ୟୁସନ୍ କରାଯାଇ ବିଜେଡି ଏକ ଆଞ୍ଚଳିକ ଦଳ ଓ ଏଥିରେ ସୁପ୍ରିମୋଙ୍କ ନିର୍ଦ୍ଦେଶ ହିଁ ସବୁକିଛି ତାହା ପରୋକ୍ଷରେ ସନ୍ଦେଶ ଦେବାକୁ ପ୍ରୟାସ କରାଯାଉଛି।

ନବାଗତ ବିଧାୟକମାନଙ୍କ ମେ’ ୨୬ତାରିଖରେ ବିଜେଡି ବିଧାୟକ ଦଳ ବୈଠକରେ ମଧ୍ୟ ନବୀନ ଅନୁରୂପ ଭାବେ ନିରାଡ଼ମ୍ବର ଜୀବନଯାପନ ପାଇଁ ପରାମର୍ଶ ଦେଇଥିଲେ। ଯାହାକୁ ଆଜି ପୁଣିଥରେ ଦୋହରାଇବା ସହ ଦୁର୍ନୀତିରୁ ଦୂରେଇ ରହି କାମ କଲେ ନିର୍ବାଚନ ଜିତିବା ସହଜ ହେବ ବୋଲି ଗୁରୁମନ୍ତ୍ର ଦେଇଛନ୍ତି । ବିଧାୟକମାନଙ୍କୁ ନମ୍ର ହୋଇ ଦଳୀୟ ରାଜନୀତିରୁ ଉଦ୍ଧ୍ୱର୍କୁ ଯାଇ ଲୋକଙ୍କ ସେବା କରିବାକୁ ମଧ୍ୟ ନବୀନ ଆଜି ପରାମର୍ଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *