ରୂପସଜ୍ଜା

ଇଣ୍ଟରଭ୍ୟୁ ଦେବାକୁ ଯାଉଛନ୍ତି, ଜାଣି ନିଅନ୍ତୁ ଗେଟ୍‌ଅପ୍‌ ଓ ମେକ୍‌ଅପ୍‌ର କିଛି ଟିପ୍ସ

ଭୁବନେଶ୍ୱର : ବର୍ତ୍ତମାନ ସମୟରେ ଚାକିରି ପାଇଁ ତୀବ୍ର ପ୍ରତିଯୋଗିତା ହେଉଛି। ଏହି ପ୍ରତିଯୋଗିତା ଭିତରେ ନିଜକୁ ସ୍ୱତନ୍ତ୍ର ପ୍ରତିପାଦିତ କରିବାକୁ ହେଲେ ସ୍ୱତନ୍ତ୍ର ପ୍ରସ୍ତୁତିର ବି ଆବଶ୍ୟକତା ରହିଛି । ଆଜିକାଲି ଯେକୌଣସି ଚାକିରି ପାଇଁ ସାକ୍ଷାତକାରର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଆପଣଙ୍କ ଭିତରେ କେତେ ଦକ୍ଷତା ରହିଛି, ତାହା ଏହି ସାକ୍ଷାତକାରରୁ ହିଁ ଜଣାପଡ଼ିଥାଏ। ତେବେ ସାକ୍ଷାତକାରକୁ କେବଳ ପାଠ ବିଷୟରେ ପ୍ରସ୍ତୁତ ହୋଇଗଲେ ଚଳିବ ନାହିଁ। ସାକ୍ଷାତକାରକୁ ଯିବା ବେଳେ ଆପଣଙ୍କ ଗେଟଅପ୍‌ ଓ ମେକଅପ୍‌ ପ୍ରତି ବି ଗୁରୁତ୍ୱ ଦିଅନ୍ତୁ। ଆପଣଙ୍କ ଲୁକ୍‌ କେମିତି ଆକର୍ଷଣୀୟ ହୋଇପାରିବ, ସେଥିପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ। ତା’ହେଲେ ଜାଣି ନିଅନ୍ତୁ, ଏ ସମ୍ବନ୍ଧୀୟ କିଛି ଟିପ୍ସ।

ଡ୍ରେସ୍‌ ଚୟନ: ପ୍ରଥମେ ଆପଣ ସ୍ଥିର କରି ନିଅନ୍ତୁ ଯେ, କେଉଁ କ୍ଷେତ୍ରରେ ଆପଣ ପ୍ରବେଶ କରିବାକୁ ଇଚ୍ଛୁକ ଅଛନ୍ତି। ଯଦି ଆପଣ କର୍ପୋରେଟ କ୍ଷେତ୍ରରେ ଚାକିରି କରିବାକୁ ଚାହୁଁଛନ୍ତି, ତା’ ହେଲେ ଫର୍ମାଲ ଡ୍ରେସ୍‌କୁ ପ୍ରାଥମିକତା ଦିଅନ୍ତୁ। ଯଦି ଆପଣ କ୍ରିଏଟିଭ୍‌ କ୍ଷେତ୍ରରେ କାମ କରିବାକୁ ଇଚ୍ଛୁକ , ତା’ ହେଲେ ଆପଣ ନିଜ ଡ୍ରେସକୁ ନେଇ କିଛି ପ୍ରୟୋଗ କରିପାରିବେ।

କେଶ ସଜ୍ଜା: କୁହାଯାଏ କେଶ ସଜ୍ଜା ବିନା ଗେଟ୍‌ଅପ୍‌ ଅଧୁରା ଲାଗେ। ତେଣୁ ଇଣ୍ଟରଭ୍ୟୁକୁ ଯିବା ପୂର୍ବରୁ ମଧ୍ୟ ଏଥିପ୍ରତି ଧ୍ୟାନ ଦିଅନ୍ତୁ। ଇଣ୍ଟରଭ୍ୟୁକୁ ଯିବା ସମୟରେ ସାଧାସିଧା ହେୟାର୍‌ ଷ୍ଟାଇଲ୍‌ କରି ଯାଆନ୍ତୁ। ଯୁବକମାନେ ଏହା ପୂର୍ବରୁ ଭଲ ହେୟାର କଟିଙ୍ଗ କରାଇ ନେବାକୁ ଭୁଲନ୍ତୁ ନାହିଁ।

ହାଲକା ମେକଅପ୍‌ : ଏହି ଖାସ୍‌ ମୌକା ଅବସରରେ ଆପଣ ସାଧାରଣ ମେକଅପ୍‌ ନେଇ ଇଣ୍ଟରଭ୍ୟୁ ଦେବାକୁ ଯାଆନ୍ତୁ । ଯେପରିକି ଯୁବତୀମାନେ କ୍ରିମ୍‌ ସହ ଅଳ୍ପ ଫାଉଣ୍ଡେସନର ବ୍ୟବହାର କରନ୍ତୁ। କାଜଲ,ଆଇଲାଇନର୍‌, ମସ୍କରା ଏବଂ କିଛି ମାତ୍ରାରେ ଆଇ ସ୍ୟାଡୋ ଲଗାନ୍ତୁ । ଏହି ସମୟରେ ଯୁବକମାନେ ମଧ୍ୟ  କ୍ଲିନ୍‌ ସେଭ୍‌ ହୋଇ ଯିବା ନିହାତି ଜରୁରୀ।

ଜୋତା ଚୟନ:  ଏ ସମୟରେ ଏପରି ଜୋତାର ଚୟନ କରନ୍ତୁ ଯାହାକି ଆରାମଦାୟକ ହୋଇଥିବ। କାରଣ ଯେଉଁ ଜୋତାରେ ଆପଣ ଆରାମ ଅନୁଭବ ନ କରିବେ, ସେପରି ଜୋତା ପିନ୍ଧିଲେ ଆପଣଙ୍କ ସବୁ ଧ୍ୟାନ ଉକ୍ତ ଜୋତା ଉପରେ କେନ୍ଦ୍ରିତ ହେବ। ସେହିପରି ଯୁବତୀମାନେ କେବଳ ହାଇହିଲ୍‌ ପିନ୍ଧିକି ଯିବାକୁ ବାଧ୍ୟ ବୋଲି କୌଣସି ନିୟମ ନାହିଁ। ଏକ ଭଲ ସ୍ୟାଣ୍ଡେଲ ଚୟନ କରନ୍ତୁ, ଯାହାକି ଆପଣଙ୍କ କପଡା ସହ ମ୍ୟାଚ କରିବ। ଏହାଦ୍ୱାରା ଆପଣଙ୍କ ବ୍ୟକ୍ତିତ୍ୱ ମଧ୍ୟ ଭଲ ଭାବେ ପ୍ରସ୍ପୁଟିତ ହେବ।

Leave a Reply

Your email address will not be published. Required fields are marked *