ମାର୍କେଟ୍

ନିବେଶକ ନିରାଶ, ଗୋଟିଏ ଦିନରେ ହରାଇଲେ ୨.୫୫ ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ: ଉତ୍କଟ ସ୍ଥିତିରେ ପହଞ୍ଚିବାରେ ଲାଗିଛି ଅର୍ଥନୀତିକ ମାନ୍ଦାବସ୍ଥା ଏବଂ ବାଣିଜ୍ୟିକ ସମସ୍ୟାର ପ୍ରଭାବ। ମଙ୍ଗଳବାର ଗୋଟିଏ ଦିନରେ ଇକ୍ୱିଟି ମାର୍କେଟ୍‌ର ନିବେଶକମାନେ ୨.୫୫ ଲକ୍ଷ କୋଟି ଟଙ୍କା ହରାଇଥିବା ଜଣାପଡ଼ିଛି। ସେହିଭଳି ବିଏସ୍‌ଇର ସୂଚକାଙ୍କ ସେନ୍‌ସେକ୍ସରେ ୭୬୯.୮୮ ପଏଣ୍ଟ ବା ୨.୦୬% ହ୍ରାସ ହୋଇଛି। ଏହା ବର୍ତ୍ତମାନ ୩୬,୫୬୨.୯୧ ପଏଣ୍ଟରେ ପହଞ୍ଚିଛି।

ମିଳିଥିବା ସୂଚନା ଅନୁଯାୟୀ, ଅଟୋମୋବାଇଲ ସେକ୍ଟରରେ ବିକ୍ରି ମାନ୍ଦା ଚାଲିଛି। ଏତଦ୍‌ବ୍ୟତୀତ ୨୦୧୯-୨୦ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସିକରେ ଜିଡିପି ଗତ ୬ ବର୍ଷରେ ସବୁଠାରୁ କମ୍‌ ରହିଛି। ଏଥିନେଇ ପୂର୍ବରୁ କେନ୍ଦ୍ର ଅର୍ଥମନ୍ତ୍ରୀ ବାରମ୍ବାର ସାମ୍ବାଦିକ ସମ୍ମିଳନୀ କରି ନୂଆ ନୂଆ ପଦକ୍ଷେପ ଘୋଷଣା କରିସାରିଛନ୍ତି। ତେବେ ଏଯାଏ ଏହାର ପ୍ରଭାବ ପରିଲକ୍ଷିତ ହୋଇନି।

ଅନ୍ୟପକ୍ଷରେ ଆମେରିକା-ଚାଇନା ବାଣିଜ୍ୟିକ ଯୁଦ୍ଧରୁ ଭାରତ ଫାଇଦା ନେବାନେଇ ଯେଉଁ ସମ୍ଭାବନା ସୃଷ୍ଟି ହୋଇଥିଲା ତାହା ଏଯାଏ ବାସ୍ତବ ରୂପ ନେଇନଥିବା କୁହାଯାଉଛି। ଆଜି ବିଶେଷ ଭାବେ ଆଇସିଆଇସିଆଇ ବ୍ୟାଙ୍କ, ଟାଟା ଷ୍ଟିଲ୍‌, ବେଦାନ୍ତ, ଏଚ୍‌ଡିଏଫ୍‌ସି, ଇଣ୍ଡସ୍‌ଇଣ୍ଡ ଏବଂ ଟାଟା ମୋଟର୍ସ ୪.୪୫% ଯାଏ କ୍ଷତି ସହିଛନ୍ତି।

Leave a Reply

Your email address will not be published. Required fields are marked *